• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ମୃଗୟା ପାଇଁ ବା ଖାଦ୍ୟ ସଂଗ୍ରହ ପାଇଁ ବ୍ୟବହୃତ ହୋଇଥିବା ରୂକ୍ଷ ପ୍ରସ୍ତରର ଅସ୍ତ୍ର କଳାହାଣ୍ଡି ଜିଲ୍ଲାରେ ମିଳେ | ସେଥିରୁ ଆଦି ମାନବର ବୃତ୍ତାନ୍ତ ଜଣାଯାଏ | ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ, ନଦୀକୂଳରେ, ପର୍ବତ ଖୋଲରେ ଓ ଗୁମ୍ଫାମାନଙ୍କରେ ଏହି ସବୁ ଅସ୍ତ୍ର ବିକ୍ଷିପ୍ତଭାବରେ ଇତସ୍ତତଃ ପଡ଼ିଥିବାର ଦେଖାଯାଏ | ମାନ୍ଦ୍ରାଜର ହସ୍ତକୁଠାର ଶ୍ରେଣୀର ପ୍ରାଚୀନ ପ୍ରସ୍ତର ଯୁଗର ଅସ୍ତ୍ରମାନ ଗୁଡ଼ହାଣ୍ଡି ପର୍ବତମାଳାର ଏବଂ ଜଙ୍କନଦୀର ମାରାଗୁଡ଼ା ଉପତ୍ୟକାର ପାର୍ବତ୍ୟାଞ୍ଚଳର ପର୍ବତ ଖୋଲରୁ ଆବିଷ୍କୃତ ହୋଇଅଛି | ତେଲନଦୀ କୂଳସ୍ଥ ଛିଲପାରେ ଛେଦକ ଅସ୍ତ୍ର ନିର୍ମାଣଶାଳା ଆବିଷ୍କୃତ ହୋଇଅଛି | ଏଥିରୁ ଜିଲ୍ଲାର ପ୍ରସ୍ତର ଯୁଗୀୟ ସଭ୍ୟତାର ସୂଚନା ମିଳେ | ସେହି ନିର୍ମାଣ ଶାଳାରୁ ଚାଞ୍ଛିବା ଅସ୍ତ୍ର, ଅସ୍ୱାଗ୍ର, ବାଟୁଳି ଏବଂ କ୍ଷୁଦ୍ର କ୍ଷୁଦ୍ର ହସ୍ତ କୁଠାର ଆବିଷ୍କୃତ ହୋଇଅଛି | ପ୍ରାୟତଃ କ୍ୱାର୍ଟଜାଇଟ ନିର୍ମିତ କ୍ଷୁଦ୍ର କ୍ଷୁଦ୍ର ଅସ୍ତ୍ର ତେଲନଦୀ ଏବଂ ତାହାର ଉପନଦୀମାନଙ୍କର ଅବବାହିକାରେ ଦୃଷ୍ଟିଗୋଚର ହୁଏ | ଏହିସବୁ ସାଧାରଣତଃ କ୍ଷୁଦ୍ର ଏବଂ ଧାରୁଆ ଅସ୍ତ୍ର | ମାତ୍ର ତ୍ରିଭୁଜ ଓ ଟ୍ରାପିଜିୟମ ପରି ଜ୍ୟାମିତିକ ଚିତ୍ରର ଅସ୍ତ୍ର ମଧ୍ୟ ସମୟେ ସମୟେ ଦୃଷ୍ଟିଗୋଚର ହୁଏ | ନବୀନ ପ୍ରସ୍ତର ଯୁଗର ଚିକ୍କଣ ଶିଳାର ଅସ୍ତ୍ର ମଧ୍ୟ ପୂର୍ବୋକ୍ତ ସ୍ଥାନମାନଙ୍କରେ ମିଳେ | କୌତୁହଳର ବିଷୟ ଯେ, ଛିଲପା ଠାରେ ଚିକ୍କଣ ଶିଳା ନିର୍ମିତ ଅସ୍ତ୍ର ମଧ୍ୟରେ ଗାତଖୋଳିବା ଏବଂ ରନ୍ଧ୍ରକରିବା ଯନ୍ତ୍ର ମଧ୍ୟ ଦେଖାଯାଏ | ମାରାଗୁଡ଼ା ଉପତ୍ୟକାରେ ଆବିଷ୍କୃତ ନବୀନ ପ୍ରସ୍ତର ଯୁଗରେ ଏକତ୍ର ଯୋଡ଼ା ହୋଇଥିବା ଛଅଗୋଟି ଅସ୍ତ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସଂଗ୍ରହାଳୟରେ ରଖା ଯାଇଅଛି |

ଭବାନୀପାଟଣାଠାରୁ 64 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଗୁଡ଼ହାଣ୍ଡିଠାରେ ଓ ଖଡ଼ିଆଳର 10 କିଲୋମିଟର ଦକ୍ଷିଣସ୍ଥ ଯୋଗିମଠ ପାହାଡ଼ରେ କୃଷ୍ଣବର୍ଣ୍ଣ ମିଶ୍ରିତ ରକ୍ଷର୍ଣ୍ଣ ଗେରୁର ପ୍ରାଗୈତିହାସିକ ଚିତ୍ରାବଳୀ ଆବିଷ୍କୃତ ହୋଇଅଛି | ଗୁଡ଼ହାଣ୍ଡିଠାରେ ପ୍ରକୃତିକ ଗିରିବରୀମାନଙ୍କର ଚିତ୍ରାବଳୀ ପରିଶୋଭିତ | ତନ୍ମଧ୍ୟରୁ ଅଧିକାଂଶ ବର୍ଗକ୍ଷେତ୍ର, ସାମାନ୍ତରିକ କ୍ଷେତ୍ର, ବୃତ୍ତ ଓ ଅନ୍ୟାନ୍ୟ ଜ୍ୟାମିତିକ ଚିତ୍ର | ଏହି ଚିତ୍ରାବଳୀ ପ୍ରାୟତଃ ଲୁପ୍ତ ହୋଇଯାଇଅଛି | ଗୋଟିଏ ମୃଗୟାର ଦୃଶ୍ୟ ଏହି ଚିତ୍ରାବଳୀ ମଧ୍ୟରେ ସବୁଠାରୁ ବେଶୀ କୌତୁହଳୋଦ୍ଦୀପକ | ଗୋଟିଏ ଧାବମାନ ଗୟଳକୁ ଲକ୍ଷ୍ୟକରି ଜଣେ ଆଦିମାନବ ଗୋଟିଏ ପ୍ରସ୍ତରର ଅସ୍ତ୍ର ପ୍ରୟୋଗ କରୁଅଛି | ପ୍ରୟୋଗକାରୀର ହସ୍ତ ସାଧାରଣ ଅବସ୍ଥାକୁ ଫେରି ଆସିବା ପୂର୍ବରୁ ଅସ୍ତ୍ର ଲକ୍ଷ୍ୟସ୍ଥଳକୁ ଆଘାତ କରିଅଛି | ଫଳରେ ଆହତ ପ୍ରାଣୀଟି ମୁହଁ ବୁଲାଇ ମନୁଷ୍ୟକୁ ବିକଳ ଭାବରେ ଲକ୍ଷ୍ୟ କରୁଅଛି | ଏହା ଦେଖି ମନୁଷ୍ୟର ମୁଖମଣ୍ଡଳରେ ଆନନ୍ଦର ସଂକେତ ଫୁଟିଅଛି ଏବଂ ମୃଗୟାରେ ସଫଳତା ଜନିତ ଆନନ୍ଦାତିଶଯ୍ୟରେ ତାହାର ବକ୍ରାକୃତ କେଶରାଜି ତରଙ୍ଗାୟିତ ହୋଇ ଉଠିଅଛି  | ଗୁଡ଼ହାଣ୍ଡି ପର୍ବତର ଗୁମ୍ଫାରେ ମୃଗୟାର ଏହି ଜୀବନ୍ତ ଆଲେଖ୍ୟ କୁ ଅନୁମିତ ହୁଏ ଯେ, ଏହି ଗୁମ୍ଫା ସେହି ପ୍ରାଗୈତିହାସିକ ମନୁଷ୍ୟର ଆବାସ ଥିଲା | ବସ୍ତୁତଃ ଗୁଡ଼ହାଣ୍ଡି ଚିତ୍ରାବଳୀ ଆଦିମ କଳାକାରର ବିରାଟ ସଫଳତାର ପରିଚାୟକ |
ତଥ୍ୟ ସୂତ୍ର : ପ୍ରଥମ ଗେଜେଟିଆର (15 ଅଗଷ୍ଟ ୧୯୮୦)

ଗୁମ୍ଫା ଚିତ୍ର ଓ ଅସୁରଗଡ ରୁ ମିଳିଥିବା  ବିଭିନ୍ନ ଉପକରଣ ଓ ଏହାର କୃତ୍ରିମ ଉପଗ୍ରହ ରୁ ଉଠାଯାଇଥିବା ଫଟୋ , ଭବାନୀପାଟଣା ସ୍ଥିତ ରାଜପ୍ରାସାଦ , ଗୁଡାହାଣ୍ଡି ଗୁମ୍ଫା ର ପ୍ରାଗ ଐତିହାସିକ ଚିତ୍ର କଳା , ସ୍ଵର୍ଣ୍ଣ ମୁଦ୍ରା, ମୋହର ଓ ତାମ୍ର ଫଳକ ଲେଖା